ଲୋକସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏକୁ ଲାଗିଛି ବଡ଼ ଝଟକା। ଲୋକସଭାରେ ଏନଡିଏ ସରକାର ମହିଳା ସଂରକ୍ଷଣ ବିଲ୍ ପାରିତ କରିବାରେ ବିଫଳ ହୋଇଛି। ୧୩୧ତମ ସମ୍ବିଧାନ ବିଲ୍ ଜରିଆରେ କେନ୍ଦ୍ର ସରକାର ତତ୍କାଳ ମହିଳା ସଂରକ୍ଷଣ ବିଲ ଲାଗୁ କରିବାକୁ ଲକ୍ଷ୍ୟ ରଖିଥିଲେ। ମହିଳା ସଂରକ୍ଷଣକୁ ସୀମା ପୁନଃ ନିର୍ଦ୍ଧାରଣ ସହ ଯୋଡ଼ିଥିଲେ।
ହେଲେ ଏହି ବିଲ୍ ଲୋକସଭାରେ ଆବଶ୍ୟକ ଦୁଇ ତୃତୀୟାଂଶ ମତ ହାସଲ କରିପାରି ନାହିଁ। ସମ୍ବିଧାନ ସଂଶୋଧନ ବିଲ ସପକ୍ଷରେ ୨୯୮ ଭୋଟ ପଡ଼ିଥିବା ବେଳେ ବିପକ୍ଷରେ ୨୩୦ ଖଣ୍ଡ ଭୋଟ ପଡ଼ିଛି। ଅର୍ଥାତ ୫୨୮ ଜଣ ସାଂସଦ ଆଜିର ଭୋଟିଂରେ ସାମିଲ ହୋଇଥିଲେ।ସମ୍ବିଧାନ ସଂଶୋଧନ ବିଲ ପାରିତ ହେବାକୁ ୩୨୬ ଖଣ୍ଡ ଭୋଟର ଆବଶ୍ୟକ ରହିଥିଲା। କିନ୍ତୁ ଏନଡିଏ ଏହାକୁ ହାସଲ କରିବାରେ ବିଫଳ ହୋଇଛି। ଏଥିଯୋଗୁ ସମ୍ବିଧାନ ସଂଶୋଧନ ବିଲ ଲୋକସଭାରେ ଗୃହୀତ ହୋଇ ପାରନାହିଁ।
ଏହି ସମ୍ବିଧାନ ସଂଶୋଧନ ବିଲ ସହ ସରକାର ସୀମା ପୁନଃ ନିର୍ଦ୍ଧାରଣ ଓ କେନ୍ଦ୍ ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ୨୦୨୬ ମଧ୍ୟ ଆଣିଥିଲେ। ସମ୍ବିଧାନ ସଂଶୋଧନ ବିଲ ସହ ଏହାକୁ ଯୋଡ଼ା ଯାଇଥିଲା। ହେଲେ ସମ୍ବିଧାନ ସଂଶୋଧନ ବିଲ ପାରିତ ହୋଇ ପାରି ନଥିବାରୁ ଉଭୟ ବିଲକୁ ମଧ୍ୟ ସରକାର ଆଗକୁ ଆଉ ବଢ଼ାଇବାକୁ ମନା କରି ଦେଇଛନ୍ତି।
ଅର୍ଥାତ କେନ୍ଦ୍ର ସରକାର ଆଣିଥିବା ୩ଟି ଯାକ ବିଲ ଲୋକସଭାର ଅନୁମୋଦନ ହାସଲ କରିପାରି ନାହିଁ। ବାଚସ୍ପତି ଓମ ବିର୍ଲା ଏହା ଘୋଷଣା କରିବା ସହ ଆସନ୍ତାକାଲି ଦିନ ୧୧ଟା ଯାଏ ଗୃହକୁ ସ୍ଥଗିତ ଘୋଷଣା କରିଛନ୍ତି।
ବିଲ୍ ପାରିତ ହୋଇଥିଲେ ମହିଳାଙ୍କ ପାଇଁ ସଂସଦ ଓ ରାଜ୍ୟ ବିଧାନସଭାରେ ୩୩% ଆସନ ସଂରକ୍ଷଣ ହୋଇଥାଆନ୍ତା। ସେହିପରି ଲୋକସଭାର ଆସନ ସଂଖ୍ୟା ୮୫୦କୁ ବୃଦ୍ଧି ହୋଇଥାଆନ୍ତା। କିନ୍ତୁ ସରକାର ଏହା ସହ ସୀମା ନିର୍ଦ୍ଧାରଣକୁ ଯୋଡ଼ି ଥିବାରୁ ବିରୋଧୀ ଜୋରଦାର ବିରୋଧ କରିଥିଲେ।
ବିଲ୍ ପାରିତ ହୋଇ ନଥିବାରୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାଙ୍କୁ ସମ୍ମାନ ଦେବାକୁ ନରେନ୍ଦ୍ର ମୋଦି ସରକାର ବ୍ୟବସ୍ଥା କରିଥିଲେ ହେଁ ଏହାକୁ ବିରୋଧୀ ସମର୍ଥନ କରି ନାହାନ୍ତି। ସେମାନେ ଐତିହାସିକ ସୁଯୋଗ ହାତ ଛଡ଼ା କରିଛନ୍ତି।
ହେଲେ ମୋଦି ସରକାର ମହିଳାଙ୍କ ସମ୍ମାନ ପାଇଁ ଲଢ଼େଇ ଜାରି ରଖିବେ ବୋଲି ସେ ଘୋଷଣା କହିଛନ୍ତି। ସମ୍ବିଧାନ ସଂଶୋଧନ ବିଲ ଫେଲ ମାରିବାରୁ ରିଜିଜୁ ଅନ୍ୟ ଦୁଇ ବିଲ ସୀମା ପୁନଃ ନିର୍ଦ୍ଧାରଣ ବିଲ ଓ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ ସଂଶୋଧନ ବିଲ ମଧ୍ୟ ଆଗକୁ ନ ବଢ଼ାଇବାକୁ ବାଚସ୍ପତିଙ୍କୁ କହିଛନ୍ତି।








