State
🔍

ବଗିଚା କାମରେ କୋମଳମତୀ ଛାତ୍ରଛାତ୍ରୀ

ଗଜପତି ଜିଲ୍ଲାରେ ସରକାରୀ ନୀତି ନିୟମକୁ କର୍ମଚାରୀ ମାନେ ଖୋଲାଖୋଲି ଉଲ୍ଲଘଂନ କରୁଛନ୍ତି । ଶିକ୍ଷା ବିଭାଗ ଏ କ୍ଷେତ୍ରରେ ସବୁଠୁ ଆଗରେ ରହିଛି । ଦୁର୍ଗମ ଅଞ୍ଚଳରେ ରହିଥିବା ବିଦ୍ୟାଳୟ ଗୁଡିକରେ ଶିକ୍ଷକମାନେ ପାଳି କରି ବିଦ୍ୟାଳୟକୁ ଯାଉଛନ୍ତି । ଏଥିରେ ସେମାନଙ୍କୁ ବିଭାଗର କିଛି ଉଚ୍ଚପଦସ୍ଥ ଅଧିକାରୀ ସହଯୋଗ କରୁଛନ୍ତି ବୋଲି ଅଭିଯୋଗ ହେଉଛି । ଅନେକ ବିଦ୍ୟାଳୟରେ ଶିକ୍ଷକଶିକ୍ଷୟିତ୍ରୀ ମାନେ ଛାତ୍ରଛାତ୍ରୀ ମାନଙ୍କୁ ବଗିଚା କାମରେ ମଧ୍ୟ ନିୟୋଜିତ କରୁଥିବାର ଦୃଷ୍ଟିଗୋଚର ହେଉଛି । ତାର ଜ୍ବଳନ୍ତ ଉଦାହରଣ ଆର.ଉଦୟଗିରି  ବ୍ଲକ୍ ପୁରୁଣାପାଣି ଗ୍ରାମପଞ୍ଚାୟତର କୁମୁଟିପଙ୍କାଳ ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି । ବିଦ୍ୟାଳୟର ଶିକ୍ଷକମାନେ ବିନା ୟୁନିଫର୍ମରେ ରହି ଛାତ୍ରଛାତ୍ରୀଙ୍କୁ କୋଡିରେ ଘାସ କଟାଇବା ସହ ଗଛ ଲଗାଇବା କାମରେ  ନିୟୋଜିତ କରୁଛନ୍ତି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏହାପୂର୍ବରୁ ଛାତ୍ରଛାତ୍ରୀଙ୍କୁ ମକା ଗଛ ଲଗାଇବା କାମରେ ମଧ୍ୟ ନିୟୋଜିତ କରିଥିବାର ଗ୍ରାମବାସୀ ଅଭିଯୋଗ କରିଛନ୍ତି  । ଦୁର୍ଗମ ଅଞ୍ଚଳରେ ଥିବା ଏହି ବିଦ୍ୟାଳୟରେ ୪୦ଜଣ ଛାତ୍ରଛାତ୍ରୀ ପଢୁଛନ୍ତି । ପିଲାଙ୍କୁ ପାଠ ପଢାଇବା ସକାଶେ ଏହି ବିଦ୍ୟାଳୟ ଉପରେ ପୁରୁଣାପାଣି ପଞ୍ଚାୟତର  କୁମୁଟିପଙ୍କାଳ, ମାଳସିଂଘା, ନରଣପୁର, ପଦରବାଡି, ଲୁଣିଢିହ, ବାହାରତମ୍ପା ଓ ଭିତରତମ୍ପା ଗ୍ରାମବାସୀ ନିର୍ଭର କରୁଛନ୍ତି । ଏପରିକି ଶିକ୍ଷକ ମାନେ ନିୟମିତ ଭାବେ ନଆସି ପାଳି କରି ଆସୁଛନ୍ତି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଏ ସମ୍ପର୍କରେ ଆର.ଉଦୟଗିରି ବ୍ଲକ ଶିକ୍ଷାଧିକାରୀଙ୍କ ସହ ଯୋଗାଯୋଗ କରିବାରୁ ଏହି ଘଟଣାର ତଦନ୍ତ ନିମନ୍ତେ ସିଆରସିଙ୍କୁ ପଠାଇଛି ବୋଲି କହିଥିଲେ । ସିଆରସି ବିଦ୍ୟାଳୟକୁ ଯାଇ ତଦନ୍ତ କରି ଏପରି ଘଟଣା ଭବିଷ୍ୟତରେ ହେବନାହିଁ ବୋଲି ଗ୍ରାମବାସୀଙ୍କୁ କହିଥିବା ସେମାନେ କହିଛନ୍ତି । ଗଜପତି ଜିଲ୍ଲାରେ ଶିକ୍ଷାକ୍ଷେତ୍ରରେ ଉଲ୍ଲେଖନୀୟ ବିକାଶ କରିଛି ବୋଲି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଠାରୁ ପୁରସ୍କାର ପରେ ପୁରସ୍କାର ପାଉଛି । କିନ୍ତୁ ବାସ୍ତବଚିତ୍ର  ସମ୍ପୂର୍ଣ୍ଣ ଅଲଗା ରହିଛି ।

lakshya media
Author: lakshya media

Leave a Reply

Your email address will not be published. Required fields are marked *