ପାରଳାଖେମୁଣ୍ଡି,୯।୫(ବ୍ୟୁରୋ):ସମଗ୍ର ରାଜ୍ୟରେ ମହିଳା ଓ କିଶୋର କିଶୋରୀ ମାନଙ୍କୁ ଅପରାଧ ଠାରୁ ଦୂରେଇ ରଖିବା ନିମନ୍ତେ ଓଡିଶା ପୋଲିସ ଓ ୟୁନିସେଫ୍ ମିଳିତ ସହଯୋଗରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହାକୁ ଅନ୍ ଲାଇନ ମାଧ୍ୟମରେ ପୋଲିସ ମହା ନିର୍ଦ୍ଧେଶକ ଶୁଭାରମ୍ଭ କରିଥିଲେ । ଏହି ପରିପେକ୍ଷୀରେ ଗଜପତି ଜିଲ୍ଲାର ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଆଦର୍ଶ ଥାନାରେ ଜୁଭେଣ୍ଟିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ୧୪ରୁ ୧୮ବର୍ଷ ବୟସର କିଶୋର କିଶୋରୀଙ୍କ କ୍ଷେତ୍ରରେ ହେଉଥିବା ଶିଶୁ ଅପରାଧକୁ ନିୟନ୍ତ୍ରଣ କରିବା ଏହାର ମୂଖ୍ୟ ଉଦ୍ଦେଶ୍ୟ । ଏହି ବର୍ଗର ଶିଶୁ ମାନଙ୍କ ସହ ହେଉଥିବା ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ସାମାଜିକ ଅପମାନ ଓ ପାରିବାରିକ ଭୟ କାରଣରୁ ଏ ବିଷୟରେ ଅଭିଯୋଗ ଥାନାରେ ପହଞ୍ଚିପାରୁନି । ଏହି ସମସ୍ୟାକୁ ଦୂର କରିବା ସକାଶେ ସଚେତନତା କରାଯାଇଥିଲା । ଏଥିରେ ପ୍ରତ୍ୟେକ ପୋଲିସ ଥାନାକୁ ଶିଶୁ ଅନୁକୂଳ ଓ ସୁରକ୍ଷିତ ସ୍ଥାନ ଭାବେ ଗଢି ତୋଳିବା ପାଇଁ ଉଦ୍ୟମ କରାଯାଉଛି । ଯାହାଫଳରେ କି ଶିଶୁ ଓ କିଶୋର କିଶୋରୀ ମାନେ ବିନା ଭୟରେ ପୋଲିସ ପାଖକୁ ଆସିପାରିବେ । ବର୍ତ୍ତମାନ ଏହି ବର୍ଗର ପିଲାମାନେ ଅଧିକ ସମୟ ଇଣ୍ଟରନେଟ୍ ରେ ବିତାଉଛନ୍ତି । ସେମାନଙ୍କୁ ଡିଜିଟାଲ୍ ଅଧିକାର ଓ ଅନ୍ ଲାଇନ ସୁରକ୍ଷା ସମ୍ପର୍କରେ ସଚେତନତା କରାଯାଇଥିଲା । ସାଇବର ବୁଲିଙ୍ଗ, ଅନ୍ ଲାଇନ ଶୋଷଣ ଓ ମାନସିକ ସ୍ବାସ୍ଥ୍ୟ ସମନ୍ଧୀୟ ବିପଦରୁ ସୁରକ୍ଷା ଦେବା ଏବଂ ଶିଶୁ ଓ ପୋଲିସ ମଧ୍ୟରେ ବିଶ୍ବାସର ବାତାବରଣ ସୃଷ୍ଟି କରିବା ଏହାର ଉଦ୍ଦେଶ୍ୟ । ଏଥିନିମନ୍ତେ ପ୍ରତ୍ୟେକ ଥାନାରେ ଜଣେ ଲେଖାଏ ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ରହିବେ ସେମାନଙ୍କୁ ଅଙ୍ଗନଓ୍ବାଡି କର୍ମୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରୀ, ଜିଲ୍ଲା ଶିଶୁ କଲ୍ୟାଣ ସମିତି ସହଯୋଗ କରିବେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଭାରପ୍ରାପ୍ତ ଆରକ୍ଷୀ ଅଧ୍ୟକ୍ଷ ସୁନିଲକାନ୍ତ ମହାନ୍ତି, ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବାନନ୍ଦ ନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ଶିଶୁ କଲ୍ୟାଣ ପୋଲିସ ଅଧିକାରୀ ଏସଆଇ କୌତୁକା ସେଠୀ ସମେତ ଗୋଷାଣି ଓ କାଶୀନଗର ବ୍ଲକର ବହୁ ଅଙ୍ଗନଓ୍ବାଡୀ କର୍ମୀ ଉପସ୍ଥିତ ଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତି ପରିଚାଳନା କରିଥିଲେ ।








