State
🔍

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି କୋର୍ଟ ପରିସରରେ ଯୁବକଙ୍କୁ ଅତର୍କିତ ଆକ୍ରମଣ

ପାରଳାଖେମୁଣ୍ଡି,୨୨।୪(ବ୍ୟୁରୋ):ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କୋର୍ଟ ପରିସରରେ ଏକ ପାରିବାରିକ ମାମଲାର ଆପୋସ ବୁଝାମଣା ସକାଶେ ମଧ୍ୟସ୍ଥତା କେନ୍ଦ୍ର ଆସିଥିବା ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ଆକ୍ରମଣର ଶୀକାର ହୋଇଥିବା ଯୁବକ ଜଣକ ଆର.ଉଦୟଗିରି ଥାନା ଅନ୍ତର୍ଗତ ତଣ୍ଡ୍ରାଙ୍ଗ ଗ୍ରାମର ଅଜିତ ଲିମା । ଆକ୍ରମଣରେ ଯୁବକ ଜଣକ ଗୁରୁତର ଆହତ ହୋଇ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି । ଅଜିତଙ୍କୁ ଆର.ଉଦୟଗିରି ଥାନା ଅନ୍ତର୍ଗତ ଛେଲାଗଡ ଗ୍ରାମର ୪ଜଣ ଆକ୍ରମଣ କରିଥିବା ନେଇ ତାଙ୍କ ବାପା ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଥାନା କେସ ନମ୍ବର ୧୦୭/୨୦୨୬ ଭାରତୀୟ ନ୍ୟାୟ ସଂହୀତାର ୧୧୫(୨), ୧୨୬(୨), ୩୫୧(୨) ଓ ୩(୫) ଧାରାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ମାନେ ହେଲେ କାଷ୍ଟୀଆନ କରାଡ, ଜୋତାମ କରାଡ, ମୁକ୍ତି କରାଡ ଓ ଜୋସ୍ନା କରାଡ । ଅଭିଯୋଗ ମୁତାବକ ମଙ୍ଗଳବାର ଦିନ ଅଜିତ ଲିମା ପାରଳାଖେମୁଣ୍ଡି କୋର୍ଟ ପରିସରରେ ଥିବା ମଧ୍ୟସ୍ଥତା କେନ୍ଦ୍ରକୁ ଏକ ପାରିବାରିକ କଳହର ବୁଝାମଣା ପାଇଁ ଆସିଥିଲେ । ଦିନ ୨ଘଣ୍ଟା ସମୟରେ ଅଭିଯୁକ୍ତ ମାନେ ପୂର୍ବ ଶତୃତାକୁ କେନ୍ଦ୍ରକରି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଯହାଫଳରେ କି ଅଜିତଙ୍କ ସମ୍ବେଦନଶୀଳ ଅଙ୍ଗରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଚିକିତ୍ସା ନିମନ୍ତେ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅଜିତ ସମେତ ତାଙ୍କ ପରିବାର ବର୍ଗ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ଦାବୀ କରିଛନ୍ତି । ସେପଟେ କୋର୍ଟ ପରିସରରେ ଏଭଳି ଘଟଣା ଘଟିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

lakshya media
Author: lakshya media

Leave a Comment

error: Content is protected !!