ପାରଳାଖେମୁଣ୍ଡି,୨୪।୪(ବ୍ୟୁରୋ): କେନ୍ଦ୍ରରେ ମୋଦୀ ସରକାର ନାରୀ ମାନଙ୍କୁ ସଶକ୍ତିକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏ ନେଇ ୨୦୨୩ମସିହାରେ ସଂସଦରେ ନାରୀ ମାନଙ୍କ ସକାଶେ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବିଲ୍ କୁ ଅନୁମୋଦନ କରାଯାଇଥିଲା । ଉକ୍ତ ବ୍ୟବସ୍ଥା ୨୦୨୯ ମସିହାରୁ ଦେଶରେ କାର୍ଯ୍ୟକାରୀ ହେବ । ଯାହାକୁ ନେଇ ସମଗ୍ର ଦେଶରେ ମହିଳା ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିଲା । କେନ୍ଦ୍ରସରକାର ବର୍ତ୍ତମାନର ସଂସଦରେ ରହିଥିବା ଆସନ ସଂଖ୍ୟା ବୃଦ୍ଦୀ କରିବାକୁ ଯୋଜନା କରିଥିଲେ । ଏପରିକି ବର୍ତ୍ତମାନ ଦେଶରେ ସାଂସଦଙ୍କ ସଂଖ୍ୟା ଲୋକସଭାରେ ୫୪୩ ଓ ରାଜ୍ୟ ସଭାରେ ୨୫୦ରହିଛି । ଏହି ସଂଖ୍ୟା ୧୯୭୧ ମସିହାର ଜନସଂଖ୍ୟା ଆଧାରରେ ରହିଛି । ବର୍ତ୍ତମାନ ଜନସଂଖ୍ୟା ଅହେତୁକ ବୃଦ୍ଧି ପାଇଛି । ସେହି କାରଣରୁ ସଂସଦରେ ସାଂସଦଙ୍କ ସଂଖ୍ୟା ୫୦ପ୍ରତିଶତ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ଚଳିତ ମାସ ୧୬ତାରିଖରେ ନାରୀ ଶକ୍ତି ବନ୍ଦନ ଅଧିନୀୟମ ବିଲ୍ ଆଗତ କରିଥିଲେ । ଯାହାଫଳରେ କି ଲୋକସଭା ଆସନ ସଂଖ୍ୟା ୮୫୦ ପାଖାପାଖି ହୋଇଥାନ୍ତା । କିନ୍ତୁ ବିଲ୍ ଅନୁମୋଦନ ନିମନ୍ତେ ଦୁଇ ତୃତୀୟାଂଶ ସଦଶ୍ୟଙ୍କ ସର୍ମଥନ ଆବଶ୍ୟକ ଥିଲା । ଆବଶ୍ୟକ ସଂଖ୍ୟା ନହେବା କାରଣରୁ ବିଲ୍ ଟି କାଟ୍ ଖାଇଲା । ଏହି ବିଲ୍ ଅନୁମୋଦନ ନହେବା ପଛରେ କଂଗ୍ରେସ ଦଳ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ଏହାକୁ ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ବିଭିନ୍ନ ସ୍ଥାନରେ କଂଗ୍ରେସକୁ ବିରୋଧ କରାଯାଉଛି । ଏହି ପ୍ରରିପେକ୍ଷୀରେ ଗଜପତି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ସଭାନେତ୍ରୀ ଅରୁଣୀମା ସାହୁ ଏକ ପ୍ରେସ୍ ବାର୍ତ୍ତା ଜାରୀ କରିଛନ୍ତି । ଉକ୍ତ ବାର୍ତ୍ତାରେ କେନ୍ଦ୍ରର ମୁଖ୍ୟ ବିରୋଧି ଦଳ କଂଗ୍ରେସ ଓ ରାଜ୍ୟର ମୁଖ୍ୟ ବିରୋଧି ଦଳ ବିଜେଡି ଉଭୟ ହାତ ମିଳାଇ ଏହି ଅଧିନିୟମକୁ ବିରୋଧ କରି ରାଜନୀତି କ୍ଷେତ୍ରରେ ନାରୀଙ୍କ ଅଧିକାରକୁ ହତ୍ୟା କରିଛନ୍ତି ବୋଲି କହିଛନ୍ତି ।








