State
🔍

ପତ୍ନୀହନ୍ତା ସ୍ୱାମୀଙ୍କୁ ୭ବର୍ଷର ସଶ୍ରମ କାରାଦଣ୍ଡ

ପାରଳାଖେମୁଣ୍ଡି,୨୪।୪(ବ୍ୟୁରୋ): ଗଜପତି ଜିଲ୍ଲା ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବିଭୁ ପ୍ରସାଦ ପଣ୍ଡା ପତ୍ନୀହନ୍ତା ସ୍ୱାମୀଙ୍କୁ ୭ବର୍ଷର ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହି ସୂଚନା ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ରାଜେଶ କୁମାର ମିଶ୍ର ଗଣମାଧ୍ୟମକୁ ପ୍ରଦାନ କରିଛନ୍ତି । ଦୋଷୀ ସାବ୍ୟସ୍ଥ ହୋଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ଗାରାବନ୍ଧ ଥାନା ଅନ୍ତର୍ଗତ ଆଡାଗାଁର ଗଙ୍ଗା ବଡ଼ମୁଣ୍ଡି (୫୦)। ସୂଚନା ମୁତାବକ ଗଙ୍ଗା ବଡ଼ମୁଣ୍ଡି ସାମାନ୍ୟ ବଚସାକୁ କେନ୍ଦ୍ର କରି ତାଙ୍କ ସ୍ତ୍ରୀ ସଜନୀ ବଡମୁଣ୍ଡିଙ୍କୁ ୨୯-୧୨-୨୦୨୧ ତାରିଖ ରାତ୍ର 9ଘଣ୍ଟା ସମୟରେ ଦାଆରେ ବେକ କାଟି ହତ୍ୟା କରିଥିଲେ । ଏ ନେଇ ଗାରବନ୍ଧ ଥାନାରେ ମୃତକଙ୍କର ଭାଇ ମଙ୍ଗଳ ମାଝି ଲିଖିତ ଅଭିଯୋଗ କରିଥିଲେ । ଉକ୍ତ ଅଭିଯୋଗକୁ ଭିତ୍ତିକରି କେସ୍ ନମ୍ବର ୧୦୫/୨୧ରେ ପୁଲିସ ମାମଲା ରୁଜୁ କରିଥିଲା । ଉକ୍ତ ମାମଲାର ତଦନ୍ତ ତତ୍କାଳୀନ ଥାନାଧିକାରୀ ସର୍ବେଶ୍ୱର ସାମନ୍ତରାୟ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ । ୧୫ଜଣ ବଳିଷ୍ଠ ସାକ୍ଷୀ ପ୍ରମାଣ ଓ ଦସ୍ତାବିଜକୁ ଆଧାର କରି ବିଚାରପତି ଅଭିଯୁକ୍ତଙ୍କୁ ୭ବର୍ଷର ଦଣ୍ଡାଦେଶ ଓ ୧୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ସ୍ଥଳେ 6ମାସ ଅତିରିକ୍ତ କାରାଦଣ୍ଡ ଭୋଗିବେ ବୋଲି ଶୁଣାଣି କରିଛନ୍ତି । ଏହା ସହ ମୃତକଙ୍କ ତିନି ଝିଅଙ୍କ ଭବିଷ୍ୟତକୁ ନଜରରେ ରଖି ସେମାନଙ୍କୁ ୩ଲକ୍ଷ ଟଙ୍କା (ଜଣ ପିଛା ୧ଲକ୍ଷ ଟଙ୍କା) ଦେବା ନିମନ୍ତେ ଜିଲ୍ଲା ଆଇନ ସେବା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ସରୋଜ କୁମାର ରଥ ଏହି ମାମଲାର ପରିଚାଳନା କରୁଥିଲେ ।

lakshya media
Author: lakshya media

Leave a Comment

error: Content is protected !!