ପାରଳାଖେମୁଣ୍ଡି,୨୪।୪(ବ୍ୟୁରୋ): ଆଜି ଗଜପତି ଜିଲ୍ଲାରୁ ୮୨ ଓ ୮୩ ତମ ଶିଶୁଙ୍କୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ମୁନୀନ୍ଦ୍ର ହୋନଗା ପୋଷ୍ୟ ସନ୍ତାନ ଭାବେ ଇଟାଲୀ ଦେଶର ଏକ ଦମ୍ପତିଙ୍କୁ ହସ୍ତାନ୍ତର କରିଛନ୍ତି । ଆଜକୁ ୩ବର୍ଷ ପୂର୍ବେ ପରିତ୍ୟକ୍ତ ଅବସ୍ଥାରେ ଉଦ୍ଧାର ହୋଇଥିବା ଏହି ଶିଶୁଦ୍ୱୟଙ୍କୁ ଶିଶୁ ମଙ୍ଗଳ ସମିତିଙ୍କ ନିର୍ଦ୍ଦେଶ କ୍ରମେ ଯତ୍ନ ଓ ସୁରକ୍ଷା ନିମନ୍ତେ ହାତିବାଡି ସ୍ଥିତ ଉତ୍କଳ ବାଳାଶ୍ରାମ ବାଳିକା ଶିଶୁ ଯତ୍ନ ଅନୁଷ୍ଠାନ ରଖାଯାଇଥିଲା। ପରବର୍ତ୍ତୀ ମୁହୁର୍ତ୍ତରେ ଜିଲ୍ଲା ଶିଶୁ ମଙ୍ଗଳ ସମିତି ଶିଶୁଦ୍ୱୟଙ୍କୁ ଆଇନତଃ ମୁକ୍ତ ଭାବେ ଘୋଷଣା କରିଥିଲେ ଏବଂ ଏହାପରେ ଶିଶୁଙ୍କର ତଥ୍ୟ ମିଶନ ବାତ୍ସଲ୍ୟ ପୋର୍ଟାଲ୍ ରେ ଅପଲୋଡ଼୍ କରାଯାଇଥିଲା । ଯାହାଦ୍ୱାରା ଶିଶୁଦ୍ୱୟ ପୋଷ୍ୟ ସନ୍ତାନ ଭାବେ ଯେକୌଣସି ଯୋଗ୍ୟ ପରିବାର ପାଖକୁ ଯାଇପାରିବ ବୋଲି ସମସ୍ତଙ୍କୁ ପୋର୍ଟାଲ୍ ମାଧ୍ୟମରେ ଜଣାଇ ଦିଆଯାଇଥିଲା। ପୋଷ୍ୟ ସନ୍ତାନ ଗ୍ରହଣ ନିମନ୍ତେ ପ୍ରାୟ ୪ବର୍ଷରୁ ଉର୍ଦ୍ଧ ସମୟ ଧରି ଅନଲାଇନ୍ ମାଧ୍ୟମରେ ଦରଖାସ୍ତ ଦେଇ ଅପେକ୍ଷା କରି ରହିଥିବା ଇଟାଲୀ ଦମ୍ପତିଙ୍କୁ କେନ୍ଦ୍ରୀୟ ପୋଷ୍ୟ ସନ୍ତାନ ସମ୍ବଳ କେନ୍ଦ୍ର ଅନୁମୋଦନ କରିଥିଲେ। ଏହି ପରିବାର ଶାରିରୀକ ସ୍ତରରେ ଶିଶୁଦ୍ୱୟଙ୍କୁ ପସନ୍ଦ କରି ନେବାପାଇଁ ସ୍ଥିର କରିଥିଲେ। ପରେ ଆବଶ୍ୟକ ହେଉଥିବା ଦସ୍ତାବିଜ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ର ଏବଂ ଜିଲ୍ଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟ ପ୍ରସ୍ତୁତ କରିଥିଲେ । ସମସ୍ତ ଦସ୍ତାବିଜକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଯାଞ୍ଚ କରିବା ପରେ ଆଜି ଶିଶୁଦ୍ୱୟଙ୍କୁ ଇଟାଲୀ ଦମ୍ପତିଙ୍କୁ ହସ୍ତାନ୍ତର କରିଥିଲେ ।ଶିଶୁଦ୍ୱୟଙ୍କ ବୟସ ୧୨ ଓ ୧୪ବର୍ଷ ହୋଇଥିବା ବେଳେ ସେମାନଙ୍କ ପାଇ ଇଟାଲୀ ଦମ୍ପତି ବେଶ ଖୁସି ଥିବା ଦେଖିବାକୁ ମିଳିଥିଲା । ହସ୍ତାନ୍ତର ସମୟରେ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଅମିୟ କୁମାର ତ୍ରିପାଠୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ଦେବୀ, ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସୁରକ୍ଷା ଅଧିକାରୀ ଶାରଳା ପାତ୍ର, ଜିଲ୍ଲା ସଂସ୍କୃତି ଅଧିକାରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ କୁମାର ତ୍ରିପାଠୀ, ରାୟଗଡ଼ ସି.ଡି.ପି.ଓ ବି.କୋମଳାଙ୍ଗୀ, ଉତ୍କଳ ବାଳାଶ୍ରାମ ଓ ସ୍ଵତନ୍ତ୍ର ପୋଷ୍ୟ ସନ୍ତାନ ଗ୍ରହଣ କେନ୍ଦ୍ରର କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।








