

ପାରଳାଖେମୁଣ୍ଡି,୨୬।୪(ବ୍ୟୁରୋ): ଗଜପତି ଜିଲ୍ଲାରେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଦୁଇ ଦିନିଆ ଜିଲ୍ଲା ଗସ୍ତରେ ଆସି ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷ ଠାରେ ଏକ ସମୀକ୍ଷା ବୈଠକ କରିଛନ୍ତି । ଉକ୍ତ ବୈଠକରେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥି ଗମାଙ୍ଗ, ଜିଲ୍ଲାପରିଷଦ ସଭାପତି ଜି.ତିରୁପତି ରାଓ, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ କାମଦେବ ବଡ଼ନାୟକ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ବଲବନ୍ତ ସିଂହ, ଭାରପ୍ରାପ୍ତ ଜିଲ୍ଲାପାଳ ମୁନିଦ୍ରା ହୋନାଗା, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦୟାମୟ ପାଢ଼ୀ, ବନଖଣ୍ଡ ଅଧିକାରୀ କେ.ନାଗା ରାଜୁ ପ୍ରମୁଖ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ ମିଶନ ଶକ୍ତି, ମହିଳା ଓ ଶିଶୁ ବିକାଶ ଓ ପର୍ଯ୍ୟଟନ ବିଭାଗର ବିଭିନ୍ନ ବିଷୟକୁ ନେଇ ସମୀକ୍ଷା କରାଯାଇଥିଲା। ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ କାର୍ଯ୍ୟକାରୀ ହେଉଥିବା କାମ ଗୁଡ଼ିକୁ ତୁରନ୍ତ ସାରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଜିଲ୍ଲାର ବହୁତ ଗୁଡ଼ିଏ ଜଳ ପ୍ରପାତ ରହିଛି, ସେହି ଗୁଡ଼ିକୁ ଚିହ୍ନଟ କରି କିପରି ବିକାଶ ହୋଇପାରିବ ସେନେଇ ବନଖଣ୍ଡ ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ । ମହେନ୍ଦ୍ରଗିରି ପର୍ବତକୁ ପର୍ଯ୍ୟଟନ କ୍ଷେତ୍ରରେ ଅଧିକ ଆକର୍ଷଣୀୟ କରିବାକୁ ନିଷ୍ପତି ନିଆଯାଇଛି। ସେହିପରି ମିଶନ ଶକ୍ତି ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ ରୁ ଅଧିକ ବିକାଶ କରିବା ପାଇଁ ଆଲୋଚନା କରାଯାଇଛି। ମିଶନ ଶକ୍ତିର ମହିଳା ମାନଙ୍କୁ ଲକ୍ଷପତି ଦିଦିଙ୍କ ସଂଖ୍ୟା ବୃଦ୍ଧି କରିବା ଓ ସେମାନଙ୍କ ଉତ୍ପାଦିତ ସାମଗ୍ରୀ ଗୁଡ଼ିକୁ ଏକ ରାଷ୍ଟ୍ର ଏକ ଜିନିଷ ଭାବେ ବିକ୍ରିବଟା କରିବାର ଲକ୍ଷ୍ୟ ବିଷୟରେ ଆଲୋଚନା ହୋଇଥିଲା । ଜିଲ୍ଲାରେ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଜିଲ୍ଲାରେ ମିଶନ ଶକ୍ତି ବଜାର କରିବା ନିମନ୍ତେ ଜାଗା ଚିହ୍ନଟ କରାଯିବ ଓ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦିତ ଦ୍ରବ୍ୟକୁ ବଡ଼ ବଜାରରେ କିପରି ବିକ୍ରି ବଟା କରାଯାଇ ପାରିବ ସେନେଇ ବିଭାଗୀୟ ମାନଙ୍କ ସହିତ ଆଲୋଚନା କରାଯାଇଥିଲା। ମାନ୍ୟବର ଉପମୁଖ୍ୟମନ୍ତ୍ରୀ ବି.ଏନ୍.ରାଜପ୍ରାସାଦ ପରିଦର୍ଶନ କରି ଜିଲ୍ଲାର ଜୀବନ ରେଖା ପର୍ଯ୍ୟଟନ କ୍ଷେତ୍ରରେ ପରିଣତ କରିବା ପାଇଁ ଚେଷ୍ଠା ଜାରି ରହିଛି ବୋଲି କହିଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଗୋଷାଣୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଏନ୍.ବୀରରାଜୁ, ଉପଜିଲ୍ଲାପାଳ ଅନୁପ ପଣ୍ଡା, ଜିଲ୍ଲା ମଙ୍ଗଳ ଅଧିକାରୀ ମନୋରମା ଦେବୀ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମିଶନ ଶକ୍ତି ବିଭାଗର ସମସ୍ତ କର୍ମଚାରୀ ଓ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ତେବେ ଏହି ବୈଠକରେ ଇଂରାଜୀ ଭାଷାରେ ପ୍ଲେକ୍ସ ବୋର୍ଡକୁ ନେଇ ଅଶାନ୍ତି ଦେଖାଯାଇଥିଲା । ତେବେ ଏ ସମ୍ପର୍କରେ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିବାରୁ ସେ ସମସ୍ତ ବିଭାଗ ଓ ଅଧିକାରୀଙ୍କୁ ଓଡିଆ ଭାଷା ବ୍ୟବହାର ପାଇଁ ତାଗିଦ୍ କରାଯାଇଥିବା ଗଣମାଧ୍ୟମକୁ କହିଛନ୍ତି ।








