ପାରଳାଖେମୁଣ୍ଡି,୨୮।୪(ବ୍ୟୁରୋ): ଗଜପତି ଜିଲ୍ଲା କ୍ଷୃଦ୍ରଜଳସେଚନ ବିଭାଗ କାର୍ଯ୍ୟାଳୟରେ ଜାଲ ସତ୍ୟପାଠ ଦାଖଲ କରି ଟେଣ୍ଡର ହାତେଇବା ଉଦ୍ୟମ ମହଙ୍ଗା ପଡିଲା । ଗଜପତି ଜିଲ୍ଲା କ୍ଷୃଦ୍ରଜଳସେଚନ ବିଭାଗର ଏକ ପ୍ରକଳ୍ପ ନିମନ୍ତେ ଟେଣ୍ଡର ବାହାରିଥିଲା । ସେଥିରେ ଗଞ୍ଜାମ ଜିଲ୍ଲାର ଜଣେ ଠିକାଦାର ଟେଣ୍ଡର ପକ୍ରିୟାରେ ଜାଲ ଦସ୍ତାବେଜ୍ ଦାଖଲ କରିଥିବା ଠିକାଦାର ସଂଘ ଅଭିଯୋଗ କରିଛି । ଯାହାକୁ ନେଇ ସ୍ଥାନୀୟ ଠିକାଦାର ସଂଘ ସମ୍ପୃକ୍ତ ଠିକାଦାରକୁ ବହୁ ସମୟ ଧରି କାର୍ଯ୍ୟାଳୟ ପରିସରରେ ଆଜି ଘେରାଉ କରି ରଖିଥିଲେ । ଅଭିଯୋଗକାରୀ ଠିକାଦାର ସଂଘର ସୂଚନା ମୁତାବକ ଗଞ୍ଜାମର ଠିକାଦାର ଜଣକ ଅନଲାଇନରେ ପ୍ରକଳ୍ପ ନିମନ୍ତେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ ସେଥିରେ ତାଙ୍କ ଦସ୍ତଖତ ରହିଥିଲା । କିନ୍ତୁ ଯେତେବେଳେ ସେ ଅଫ୍ ଲାଇନରେ ଦାଖଲ କଲେ ସେଥିରେ ତାଙ୍କର ଦସ୍ତଖତ ନଥିଲା । ଯାହାକୁ ନେଇ ଠିକାଦାର ସଂଘ ତରଫରୁ ପ୍ରତିବାଦ କରିବା ସହ ତାଙ୍କର ଆବେଦନକୁ ରଦ୍ଧ କରିବା ସହ କଳାତାଲିକା ଭୁକ୍ତ କରିବାକୁ ଦାବୀ ହୋଇଛି । ସେପଟେ ଏ ଘଟଣାକୁ ନେଇ କ୍ଷୃଦ୍ର ଜଳସେଚନ ବିଭାଗର ଏଷ୍ଟିମେଟରଙ୍କୁ ପଚାରିବାରୁ ଅଭିଯୋଗରେ ସତ୍ୟତା ରହିଥିବାରୁ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ।








