ପାରଳାଖେମୁଣ୍ଡି, ୭।୫ (ବ୍ୟୁରୋ)-ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡିରେ ଛତୁ ଫୁଟିବା ଭଳି ଘରୋଇ କ୍ଲିନିକ ଗୁଡିକ ଖୋଲିଛି । ତେବେ ସେଥିରୁ କେତେକ ପଞ୍ଜୀକୃତ ହୋଇଥିବା ବେଳେ ଅନେକ ବିନା କାଗଜପତ୍ରରେ ଚାଲିଛି । ଯେଉଁ ମାନେ କ୍ଲିନିକ ଖୋଲିବା ନିମନ୍ତେ ସ୍ବାସ୍ଥ୍ୟ ବିଭାଗ ଆବେଦନ କରି ଅନୁମତି ପାଉଛନ୍ତି କେବଳ ସେମାନଙ୍କର କ୍ଲିନିକ ଗୁଡିକୁ ଯାଇ ବିଭାଗୀୟ କର୍ତ୍ତୁପକ୍ଷ ତନଖି କରୁଛନ୍ତି । କିନ୍ତୁ ମନଇଛା ବେଆନ ଭାବେ ଖୋଲିଥିବା କ୍ଲିନିକ ଗୁଡିକ ଉପରେ ସ୍ବାସ୍ଥ୍ୟ ବିଭାଗ ଯାଞ୍ଚ କରୁନାହିଁ । ତାହାର ସୁଯୋଗ ନେଇ ସେମାନେ ବେଆନ ଭାବେ ନିଜ କାର୍ଯ୍ୟକଳାପ ଜାରୀ ରଖି ମୋଟା ଅଙ୍କର ଅର୍ଥ ରୋଜଗାର କରୁଛନ୍ତି । ଏହାର ଜ୍ବଳନ୍ତ ଉଦ୍ଦାହରଣ ସାରା ନାମକ ଘରୋଇ ଚକ୍ଷୁ ଚିକିତ୍ସା କେନ୍ଦ୍ରରୁ ସ୍ବଷ୍ଟ ଅନୁମେୟ । ବେଆଇନ ଓ କୌଣସି କାଗଜପତ୍ର ନଥିବା ଏହି ଅନୁଷ୍ଠାନ ବେସ ଟଙ୍କା ଅର୍ଜନ କରିବାରେ ବ୍ୟସ୍ତ । ନା ଏହି ଅନୁଷ୍ଠାନ ସରକାରୀ ନିୟମ ମାନୁଛି ନା ପ୍ରଶାସନକୁ ଖାତିର କରୁଛି । ସରକାରୀ ନିୟମ ଅନୁସାରେ ପଞ୍ଜୀକୃତ ହୋଇଥିବା ସ୍ଥାନରେ ଓପିଡି ଓ ଅସ୍ତ୍ରୋପ୍ରଚାର ହେବା କଥା । କିନ୍ତୁ ସାରା ଆଇ କ୍ଲିନିକ ସ୍ଥାନୀୟ ବସଷ୍ଟାଣ୍ଡରେ ନିଜର ଓପିଡି ଖୋଲି ପ୍ରଥମେ କିଛି ଦିନ ରାଜନହର ଠାରେ ଅସ୍ତ୍ରୋପଚାର କରୁଥିଲା । ସେଠାରୁ ଅସ୍ତ୍ରୋପ୍ରଚାର ଯୁନିଟ୍ କୁ ଅନ୍ୟତ୍ର ନେଇଥିଲେ ମଧ୍ୟ ବିନା ଅନୁମତି ପ୍ରମାଣ ପତ୍ରରେ ଚଲାଇଛି । ଏପରିକି ବାରମ୍ବାର ସ୍ବାସ୍ଥ୍ୟ ବିଭାଗ ଅନୁମତି ଓ ପଞ୍ଜୀକରଣ ନୂତନ ଭାବେ ନହେବା ଯାଏଁ ଅସ୍ତ୍ରୋପ୍ରଚାରକୁ ମନା କରିଥିଲେ ମଧ୍ୟ ବେଆଇନ ଭାବେ ଜାରୀ ରଖିଛି । ସରକାରୀ ନିୟମକୁ ଭାଙ୍ଗି ଚଷମା ବିକ୍ରି କରିବା ସହ ଅସ୍ତ୍ରୋପ୍ରଚାର କରି ମାଲାମାଲ ହେଉଥିବା ଏହି କ୍ଲିନିକ ସରକାରୀ ନିୟମ କି ବିଭାଗୀୟ ଅଧିକାରୀଙ୍କ ତାଗିଦ୍ କୁ ଭୃକ୍ଷେପ ନକରି ଅନାୟସରେ ଚାଲୁ ରଖିଛି ବେପାର । ସେପଟେ ଗରିବ ରୋଗୀ ଅଜାଣତରେ ଏହି କ୍ଲିନିକରେ ଗହଳି ଜମାଉଛନ୍ତି । ତେବେ ବିନା ଅନୁମତି ଓ ପଞ୍ଜୀକରଣରେ ଅସ୍ତ୍ରୋପ୍ରଚାର ଏକ ଅପରାଧ ହୋଇଥିବା ବେଳେ ନିଜ ମନମୁଖି କାର୍ଯ୍ୟକଳାପ ଚଲାଇଛି ଏହି କ୍ଲିନିକ । ସେପଟେ କିଛି ସହରବାସୀ ଏହି କ୍ଲିନିକ ବିରୋଧରେ ଥାନାର ଦ୍ବାରସ୍ତ ହେବେ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲା ମୂଖ୍ୟ ଚିକିତ୍ସା ଅଧିକାରୀ ଶାନ୍ତନୁ ପାଢି ଆବଶ୍ୟକ ପଦେକ୍ଷପ ନିଆଯିବ ପୂର୍ବରୁ ମଧ୍ୟ ତାଗିଦ୍ କରାଯାଇଥିଲା । ତେବେ ଦେଖିବାକୁ ବାକି ରହିଲା ଏହି କ୍ଲିନିକ ବିରୋଧରେ ସ୍ବାସ୍ଥ୍ୟ ବିଭାଗ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ।








