ପାରଳାଖେମୁଣ୍ଡି,୨୧।୪(ବ୍ୟୁରୋ):ଗଜପତି ଜିଲ୍ଲାର ବିକାଶରେ ବାଧକ ସାଜୁଛନ୍ତି କିଛି ଦାୟିତ୍ବହୀନ ସରକାରୀ କର୍ମଚାରୀ । ଗୋଟିଏ କାମକୁ କିଭଳି ବହୁବାର କାମ କରାଯିବ ସେ ନେଇ ସୁଚିନ୍ତିତ ଯୋଜନା କରୁଛନ୍ତି । ଅତୀତରେ ଏପରି ଅନେକ କାର୍ଯ୍ୟ ହୋଇଛି ସେହି କାର୍ଯ୍ୟଗୁଡିକ ବାରମ୍ଭାର କରାଯାଇଛି । ସେ ସମ୍ପର୍କରେ କୌଣସି ଜନସାଧାରଣ ପଚାରିଲେ ବର୍ଷାରେ ଧୋଇ ହୋଇଗଲା, ସାମଗ୍ରୀର ଦର ବୃଦ୍ଧି ହେଲା ଭଳି ଅନେକ ବାହାନା ଦେଖାଇ ଅର୍ଥ ହରିଲୁଟ କରିଥିବା ନଜିର ରହିଛି । ସେହିଭଳି ଏକ ଦୃଶ୍ୟ କାଶୀନଗର ବ୍ଲକ ସିଦ୍ଧାମଡଙ୍ଗ ଗ୍ରାମରେ ଦେଖିବାକୁ ମିଳିଛି ।
ଏହି ଗ୍ରାମର ଏଲା ସାହିରେ ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନାରେ ୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏକ ନାଳ ନିର୍ମାଣ ଚାଲିଛି । ସେହି ନିର୍ମାଣ କାର୍ଯ୍ୟ ବ୍ଲକର ବିଭାଗୀୟ କର୍ତ୍ତୁପକ୍ଷ କରୁଛନ୍ତି । ତାହା ଅତ୍ୟନ୍ତ ନିମ୍ନମାନର କରାଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଡ୍ରେନ୍ ନିର୍ମାଣ କାର୍ଯ୍ୟ ଶେଷ ନହେବା ପୂର୍ବରୁ ପ୍ଲେଟ ଗୁଡିକ ନିର୍ମାଣାଧିନ ଅବସ୍ଥାରେ ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । 
ପ୍ଲେଟ୍ ଓ ଡ୍ରେନ୍ ନିର୍ମାଣରେ ଗୁଣବତ୍ତା ପ୍ରତି ଧ୍ୟାନ ଦିଆଯାଇ ନାହିଁ । ନିର୍ମାଣ ବେଳେ ଯନ୍ତ୍ରୀ ସେଠାରେ ରହୁନଥିବା ଅଭିଯୋଗ ଗ୍ରାମବାସୀ କରୁଛନ୍ତି । ସେଠାରେ ରହିଥିବା ସୂଚନା ଫଳକରେ ସମ୍ପୂର୍ଣ୍ଣ ତଥ୍ୟ ଉଲ୍ଲେଖ କରାଯାଇନାହିଁ । ସରକାରୀ ନିୟମ ମୁତାବକ ସୂଚନା ଫଳକରେ କାର୍ଯ୍ୟାରମ୍ଭ ଓ କାର୍ଯ୍ୟଶେଷର ତାରିଖ ଉଲ୍ଲେଖ ରହିବା କଥା କିନ୍ତୁ କାର୍ଯ୍ୟଶେଷ ତାରିଖ ଦର୍ଶାଯାଇନାହିଁ । 
ତେବେ ଯେଉଁ ସୂଚନା ଫଳକଟି କାର୍ଯ୍ୟସ୍ଥଳରେ ରହିଛି ତାହା ଇଂରାଜୀରେ ଲେଖା ହୋଇଛି । ଯାହାକି ଲୋକମାନେ ସୂଚନାଫଳକରେ କଣ ଉଲ୍ଲେଖ ରହିଛି ଜାଣିପାରୁନାହାଁନ୍ତି । ଏହାସହ ଓଡିଆ ଅସ୍ମିତାକୁ ଉପାନ୍ତ ଅଞ୍ଚଳରେ ହତ୍ୟା କରାଯାଇଛି । ନିର୍ମାଣ ଦାଇତ୍ବରେ ଥିବା ବିଭାଗୀୟ ଅଧିକାରୀଙ୍କ ଏଭଳି ମାନସିକତାକୁ ଦେଖିଲେ ସନ୍ଦେହ କରାଯାଉଛି ମୋଟା ଅଙ୍କର ଅର୍ଥ ହରିଲୁଟ କରିବା ଷଡଯନ୍ତ୍ର ରଚାଯାଇଛି ।








